Unknown

 

 

 

 

 

 

 

 

 

ନରସିଂହ ମେତା

ଶ୍ରୀ ବିହାରୀଦାସ ମହନ୍ତ

 

(ରାମକେରୀ)

 

ଇନ୍ଦୁରପତି ମା ସରସ୍ୱତୀ ପ୍ରଥମେ ନମସ୍କାର ।

ମୋ କଣ୍ଠେ ବସ ଶବ୍ଦ ପ୍ରକାଶ ପ୍ରେମଦ ହୁଅ ଉର ।୧।

ଭାରତୀଫୁଲ କରିଣଠୁଳ ହାର ଗୁନ୍ଥିବା ଭାବ ।

ସଂସାରେ ଦେବି ଦେଖାଇ ଛବି ଉଭବ ପ୍ରେମଲାଭ ।୨।

ନୃସିଂହ ମେତା ଭକ୍ତି ସୁଚିନ୍ତା କରୁଛି ମୁଁ ଜଣାଣ ।

ଶୁଣ ସୁମନେ ଭାବସ୍ୱମନେ ଭକ୍ତି କେମନ୍ତ ଗୁଣ ।୩।

ଅନ୍ତ ପବିତ୍ର ଚିନ୍ତ ସୁଭକ୍ତ ନରସିଂହ ସେ ଯେ ମେତା ।

ଉଦାର ଚିତ୍ତ ଅନୁବରତ ପ୍ରଭୁଙ୍କ ଧ୍ୟାନେ ଚିନ୍ତା ।୪।

ଜନାଶ୍ରୟକୁ ତ୍ୟକ୍ତ ହେବାକୁ ସନ୍ତତ ମନ ଭାବ ।

ଅଶନାଦିର ଚିନ୍ତ ଅନ୍ତର ଖୋଜନ୍ତି ପୁଣ୍ୟଠାବ ।୫।

ତୁଚ୍ଛକରିଣ ସଂସାରିଜନ ନିଗମ ଭାବେ ମନ ।

କାହାରି ମନ ତାଙ୍କୁ ଚାହିଁଣ ନୁହନ୍ତି ପରସନ୍ନ ।୬।

ପଶ୍ଚିମ ଦେଶ ଗୁଜ୍ଜ୍‍ରାଟ ଦେଶ ଯୁହ୍ନାଗଡ଼ ସହର ।

ସେ ପୁଣ୍ୟଧାମ ମୁନିଆଶ୍ରମ ସ୍ଥାନମାନ ପ୍ରଚୁର ।୭।

ନାନା ଆଶ୍ରମୀ ସେ ସ୍ଥାନେ ଭ୍ରମି ପୁଣ୍ୟ କ୍ଷେତ୍ର ଭାବିଣ ।

ଗିର୍ନ୍ନାରଗିରି ଶିଖରପୁରୀ ଅମ୍ବିକାଦେବୀ ସ୍ଥାନ ।୮।

କୁଣ୍ଡ ସୁନ୍ଦର ସେ ଦାମୋଦର ଅଧୋଭାଗେ ଶୋଭନ ।

ଗିର୍ନ୍ନାରଗିରି ଆନନ୍ଦପୁରୀ ଧର୍ମାତ୍ମା ସେ ଭୁବନ ।୯।

ବୈଷ୍ଣବ ମଠ ରହି ସେ ପୃଷ୍ଠ ରାମାନନ୍ଦୀଙ୍କ ସ୍ଥାନ ।

ଦେବଙ୍କ ଚିହ୍ନ ସୌରଭ ଗୁଣ ଶୋଭା ପ୍ରକାଶମାନ ।୧୦।

ସେ ରାମାନନ୍ଦ ସ୍ୱାମୀଙ୍କ ପାଦ ରହି ଦେଖାଏ ଚିହ୍ନ ।

ଭକ୍ତମାନଙ୍କ ହରଇଦକ ଦତ୍ତାତ୍ରୟଙ୍କ ସ୍ଥାନ ।୧୧।

ହନୁଙ୍କଧାରା ସେ ମନୋହରା ସେ ଜ୍ୟାବନର ଶୋଭା ।

ଲକ୍ଷ କରାଏ ଭକ୍ତ ହୃଦୟେ ପୁଣ୍ୟଧାମ ପ୍ରତିଭା ।୧୨।

ପବିତ୍ର ଦେଶ ପୁଣ୍ୟମାନସ ଧର୍ମତତ୍ତ୍ୱ ଧାରକ ।

ଅନେକତୀର୍ଥ ପ୍ରେମିକ ଭକ୍ତ ଛନ୍ତି ଧର୍ମେଲାୟକ ।୧୩।

ଶ୍ରୀକୃଷ୍ଣ ବାସ ଦ୍ୱାରିକା ଦେଶ ସମୁଦ୍ରତଟ ଶୋଭା ।

ସେ ସ୍ଥାନମାନ ଚାହିଁଲେ ମନ ପ୍ରେମାନନ୍ଦରେ ଲୋଭା ।୧୪।

ଦ୍ୱାଦଶକୋଶ ତହିଁ ପ୍ରକାଶ ରଣଛୋଡ଼ଟି କମ ।

ସେ ପୁଣ୍ୟଧାମ ଭକ୍ତଆଶ୍ରମ ନୃସିଂହ ମେତା ନାମ ।୧୫।

ପୈତୃକଧନ ଧର୍ମାର୍ଥେଦାନ କରି ଦୀନତା ଭଜି ।

ଧର୍ମଧାରକ ସର୍ବଲାୟକ ଭକ୍ତିରେ ଥାନ୍ତି ମଜ୍ଜି ।୧୬।

ଗ୍ରାମୀୟଜନ ଭାବି ନିର୍ଦ୍ଧନ ହାସ୍ୟ ପଥରେ ଲକ୍ଷ ।

କରୁଣଥାନ୍ତି ସୁକାଳଗତି ପ୍ରବେଶ ହେଲା ଦେଖ ।୧୭।

ଏକ ସମୟେ ସାଧୁ ଉଭୟେ ତୀର୍ଥାଟନ ସେ କରି ।

ଯୁହ୍ନାଗଡ଼ରେ ପ୍ରବେଶିବାରେ ଭାବି ହୃଦୟେ ସ୍ମରି ।୧୮।

ରହିଛି ବିତ୍ତ ଅନୁବରତ ଗରୁହଉଛି ଅଙ୍ଗ ।

କେ ଅଛି ମିତ୍ର ଦେଖ ସୁପାତ୍ର ହୁଣ୍ଡି କରାଉଁ ସାଙ୍ଗ ।୧୯।

ଉଭୟଭାବ ଖୋଜିଲେ ଠାବ ଜନଙ୍କୁ ପୁଛା କଲେ ।

ହୁଣ୍ଡିକେ ଦେବ ଟଙ୍କାକୁ ନେବ ଧନୀକେ ଅଛି ସ୍ଥଳେ ।୨୦।

କୁଟବିଚାର ସେ ଦୁରାଚାର ଭାବି ଅନେକ ଜନ ।

ହାସ୍ୟପଥରେ ପକାଉଁ ଥରେ ନୃସିଂହ ଭାବିମନ ।୨୧।

ହେ ସାଧୁ ଯାଅ ଟଙ୍କାକୁ ନିଅ ନୃସିଂହମେ ତା ଠାରେ ।

ହୁଣ୍ଡି ସେ ଦେବ ଦେଖାଇ ଭାବ ଧନୀ ଆମ୍ଭ ଏପୁରେ ।୨୨।

ଅସୀମ ଧନ ତାଙ୍କରି ସ୍ଥାନ ଯାଅ ଆହେ ବୈଷ୍ଣବ ।

ଟଙ୍କାକୁ ଦେବ ହୁଣ୍ଡି ପାଇବ କାମନା ପୂର୍ଣ୍ଣ ହେବ ।୨୩।

ବସା କରିଣ କରି ଶୟନ ରାତ୍ର ସେ ପୁହାଇଲେ ।

ପ୍ରାତଃକାଳରେ ଗମି ସେଠାରେ ନୃସିଂହମେ ତା ସ୍ଥଳେ ।୨୪।

ନୃସିଂହମେ ତା ସ୍ୱଗୃହ ବାର୍ତ୍ତା ଭାବରେ ଥିଲେ ବସି ।

ଶ୍ରୀରାମ ରାମ ଶ୍ରୀକୃଷ୍ଣ ଧାମ ସାଧୁଜନେ ସେ ଭାଷି ।୨୫।

ପ୍ରାଣାମ କରି ଆନନ୍ଦେ ଭରି ଉଚ୍ଚ ଆସନ ଦେଇ ।

ପବିତ୍ର ଜଳ ପାଦ ଯୁଗଳ ଦେଲେ ଆନନ୍ଦେ ଧୋଇ ।୨୬।

ଚରଣାମୃତକୁ ଗର୍ଭାଗତ ଧନ୍ୟ ସୌଭାଗ୍ୟ ମୋର ।

ପ୍ରେମାନୁରାଗ ବିଷ୍ଣୁଙ୍କୁ ଭୋଗ ରନ୍ଧନ ବିଧିସାର ।୨୭।

ଭୋଜନ ଦେଇ ସୌଭାଗ୍ୟ ଏହି ଭାବି ଆନନ୍ଦ ଭର ।

ଶ୍ରଦ୍ଧାକୁ ଚାହିଁ ପାକ କରାଇ ଭୋଜନ ପ୍ରେମ ଭର ।୨୮।

ଚଳୁ କରିଣ ଶୁଦ୍ଧ ହୋଇଣ ସ୍ୱଆସନେ ବସିଲେ ।

ନିଜ ଭୋଜନ ଶେଷ କରିଣ ସାଧୁଙ୍କୁ ସେବା କଲେ ।୨୯।

ହେ ଦୟାମୟ ମହାତ୍ମାଦ୍ୱୟ ସୌଭାଗ୍ୟେ ପ୍ରବେଶିଲ ।

ଭାବିଲେ ମନ ମୁଁ ପାପୀଜନ କେମନ୍ତେ ଦୟା କଲ ।୩୦।

ସେ ସାଧୁଜନ ଭାବନ୍ତି ପୁଣ ଶୁଣ ଆମ୍ଭ ବଚନ ।

ନୃସିଂହମେ ତା ଆମ୍ଭ ବ୍ୟବସ୍ଥା ଶୁଣ ଦେଇଣ ମନ ।୩୧।

ଉଭୟ ଜଣ ନିଗମ ସ୍ଥାନ ସଙ୍ଗ ନାହାନ୍ତି କେହି ।

ଭିତି ଗ୍ରସ୍ତରେ ଯାଉଁ ପଥରେ ଆମ୍ଭ ବିଚାର ଏହି ।୩୨।

ଆମ୍ଭର ପାସ ଟଙ୍କା ସାତଶ ରହିଛି ଏହା ଭାବ ।

ହୁଣ୍ଡିକି ଧରି ଦ୍ୱାରିକାପୁରୀ ଯିବୁଁ ଖୋଜିଲୁ ଠାବ ।୩୩।

ନଗ୍ର ମଧ୍ୟରେ ପଚାରିବାରେ ତବ ନାମ କହିଲେ ।

ଆଶାୟୀ ହୋଇ ଆସିଛୁ ଭାଇ ଭାବହୃଦୟ ସ୍ଥଳେ ।୩୪।

ଟଙ୍କାକୁ ଗଣ ରଖ ଧାଇଣ ହୁଣ୍ଡି ଦିଅ ସତ୍ୱର ।

ଆନନ୍ଦେ ଯିବୁ ଗୁଣ ଗାଇବୁ ଯିବୁଁ ଦ୍ୱାରିକାପୁର ।୩୫।

ନୃସିଂହମେ ତା କରଇ ଚିନ୍ତା ଦୁଷ୍ଟେ ଛଳନା କରି ।

ସାଧୁଜନଙ୍କୁ ପେସି ପାସକୁ ହାସ୍ୟକରିବା ସ୍ମରି ।୩୬।

ମୋ ଲଜ୍ଜାହନ୍ତା କମଳାକାନ୍ତ ଭରସା ମୋ ଈଶ୍ୱର ।

ସ୍ତୁତି ମୁଁ କରେ ଭାବି ମନରେ ଶୁଣିବେ ଦାମୋଦର ।୩୭।

ଜଗତବ୍ୟାପୀ ହୃଦୟେ ଜପି କାମନା ପୂର୍ଣ୍ଣ ହେବ ।

ଅଜ୍ଞାନୀଜନ ମୋ ସନ୍ନିଧାନ ପେସିଛନ୍ତି ହେ ଦେବ ।୩୮।

ମୋ କର୍ମାଧାର ଭାବଅନ୍ତର କୃପାସିନ୍ଧୁ ଶ୍ରୀହରି ।

ଦୀନବାନ୍ଧବ ରାଧାମାଧବ ଭରସା ଅଛି କରି ।୩୯।

ମୋର ବେପାର ତୁମ୍ଭ ପୟର ସେବାଗୁଣ ସ୍ମରିବା ।

ଭବି ହୃଦୟ ହୁଅ ସଦୟ ମାନ ରକ୍ଷକ ଦେବା ।୪୦।

ଗଜ ଉଦ୍ଧାର ହେ ଦାମୋଦର ସଙ୍କଟ ସୁନାଶକ ।

ଆହିଲ୍ୟାଶିଳା ମୋକ୍ଷ ପାଇଲା ଖ୍ୟାତ ବ୍ରହ୍ମାଣ୍ଡ ଯାକ ।୪୧।

ଅସୁର ବଳ ହେଲେ ପ୍ରବଳ ପୃଥ୍ୱୀନାଶକ ଭାବ ।

ବରାହମୂର୍ତ୍ତି ଦେଖାଇ କାନ୍ତି ଦନ୍ତେ ରଖିଲ ଠାବ ।୪୨।

ହିରଣ୍ୟାସୁର ତେଜ ପ୍ରଖର ଗର୍ବହନ୍ତା ହୋଇଲ ।

ବାନ୍ଧିଣ ପଣ ହେ ଜନାର୍ଦ୍ଦନ ପ୍ରହଲ୍ଲାଦ ରଖିଲ ।୪୩।

ଚତୁର୍ଥ ମାସ ବଳିଙ୍କ ବାସ ଥିଲ ଆହେ ଗୋବିନ୍ଦ ।

ତ୍ରିପାଦ ଧରି ତ୍ରିପୁର ଶିରୀ ନେଲ ହେ ଆଦିକନ୍ଦ ।୪୪।

ରାବଣବଂଶ କଲ ବିଧ୍ଵଂସ ବିଭୀଷଣକୁ ରଖ ।

ମହାପାତକୀ ପୁତ୍ରକୁ ଡାକି ଅଜାମ୍ବିଳ ସେ ମୋକ୍ଷ ।୪୫।

ଗଣିକା ବାଳୀ କର୍ମ ଚାହିଁଲି ଶୁକପାଳ କହଇ ।

ଶୁକ ପଢ଼ାଇ ମୋକ୍ଷକୁ ପାଇ ମୁଁ ସଦା ତବାଶ୍ରୟୀ ।୪୬।

ଶବରୀ ଫଳ କରି କବଳ ଊଛିଷ୍ଠ ଖୁଆଇଲା ।

କଂସ ଯାତନା ପେଷି ପୋତନା ବି ଭାବେ ହନ୍ତାହେଲା ।୪୭।

ସେ ଶକ୍‍ଟାସୁର ତେଜ ପ୍ରଖର ଅଗମ୍ୟ ରୂପଧାରି ।

ଲାତ ବାଜିଣ ହେଲା ନିଧନ ଗର୍ବହନ୍ତା ହେ ହରି ।୪୮।

ସେ ତୃଣାସୁର ଗର୍ବ ଅପାର ବାୟୁ ପ୍ରଖର ବହି ।

ପ୍ରଖର ତେଜ ସେ ଭୂମିରଜ ଆକାଶ ଗଲା ଛାଇ ।୪୯।

ନନ୍ଦଗ୍ରାମର ସେ ନାରଖାର କୃଷ୍ଣଙ୍କୁ ଘେନି କାଶ ।

ମୁଷ୍ଟି ପ୍ରହାରି ତାହାଙ୍କୁ ମାରି ତା ଗର୍ବ କଲନାଶ ।୫୦।

ବାଲ୍ୟକାଳେଣ ଦୁଷ୍ଟ ଦଳନ ସନ୍ଥ ପାଳନ ନାଥ ।

ମୋ ଚରିତାର୍ଥ ବୁଝ ଭାବାର୍ଥ କରବାରେ କୃତାର୍ଥ ।୫୧।

ହେ ବେଣୁପାଣି ଯଶୋଦାରାଣୀ ମୃତ୍ତିକା ଭକ୍ଷଣରେ ।

ମାତ ତୁମ୍ଭର ତୁଣ୍ଡମଧ୍ୟର ଦେଖିଲେ ସର୍ବପୁରେ ।୫୨।

ଦେଖିଣ ଅନ୍ତ କ୍ରୋଧରୁ ଶାନ୍ତ ହେଲେ ଯଶୋଦାରାଣୀ ।

ଯଶୋଦାରାଣୀ ସୁସ୍ନେହମଣି ଦୁଗ୍ଧ ସିଝାନ୍ତି ଜାଣି ।୫୩।

ଗୃହ ବିଷୟ ଚିତ୍ତଅଥୟ ଭାବରେ ଥିଲେ ମଜ୍ଜି ।

ଅଗ୍ନି ପ୍ରଜ୍ଜ୍ୱଳି ଦୁଗ୍ଧ ଉଛୁଳି ଧାଇଁଲେ କର୍ମତେଜି ।୫୪।

ସେହି ସମୟେ ଲଭି ନିର୍ଭୟେ ଦଧିଭାଣ୍ଡ ନାଶକ ।

କ୍ରୋଧରେ ପୁରି ପୁତ୍ରକୁ ଧରି ବନ୍ଧାହେଲ ଉଲ୍ଲେଖ ।୫୫।

ମନ୍ଥନ ଦଣ୍ଡ ବାନ୍ଧିଣ ପିଣ୍ଡ ନନ୍ଦରାଜାଙ୍କ ଆଗ ।

ଉଭୟ ବୃକ୍ଷ ମଧ୍ୟେ ଉଲ୍ଲେଖ ଦଣ୍ଡେ ବାନ୍ଧ ସରାଗ ।୫୬।

ନାରଦ ବୁଦ୍ଧି କୌଶଳ ସିଦ୍ଧି ବୃକ୍ଷ ସେ ଭଗ୍ନ ହେଲା ।

ଅଗମ୍ୟପୁର ନାରଦଙ୍କର ବୃକ୍ଷ ସେ ମୋକ୍ଷ ହେଲା ।୫୭।

ଯାମଳାର୍ଜୁନ ସ୍ଵର୍ଗଗମନ ଦେଖିଲେ ଦେବସୁର ।

ସେ ବତ୍ସାସୁର ତେଜ ପ୍ରଖର କାପଟ୍ୟ ରୂପତାର ।୫୮।

ପାଦକୁ ଭିଡ଼ି ଭୂମି କଚାଡ଼ି ନାଶିଲ ଚକ୍ରଧର ।

ଇନ୍ଦ୍ରଙ୍କ କୋପ ସେ ନନ୍ଦରୁପ ଧରିନେଲା ସତ୍ୱର ।୫୯।

ଯମୁନା ଜଳେ ନାଶିବା ଛଳେ ଜାଣିପାରିଲ ହରି ।

ଶୟନକାଳେ ସେ କୁତୂହଳେ ପିତା ମୋକ୍ଷକୁ କରି ।୬୦।

ଗୋପନାରୀଙ୍କ ପିନ୍ଧବା ଚିର ଅପହରଣ କର୍ତ୍ତା ।

ସେ ବ୍ରଜପୁରକୁ ରକ୍ଷାକାର ଆପଦୁଁ ମୋକ୍ଷଦାତା ।୬୧।

ଋଷିଙ୍କମନ ଜାଣି ଆପଣ ବ୍ରଜାଙ୍ଗ ନାଶକଲ ।

ଗଲେ ନିସ୍ତରି ସେ ଗୋପନାରୀ ସଙ୍ଗଭାବ ଚାହିଁଲ ।୬୨।

ଯମୁନାଜଳ ପବିତ୍ରସ୍ଥଳ କାଳିନାଗ ଦଳିଲ ।

ବ୍ରହ୍ମା ବିଚାର ସେ ସମ୍ବତ୍ସର ମାୟା ଦେଖାଇ ଦେଲ ।୬୩।

ବଛା ଓ ଗାଵ ବ୍ରହ୍ମାଙ୍କ ଠାବ ଗର୍ବକୁ ଖର୍ବ କରି ।

ଛଡ଼ାଇ ଆଣି ହେ ବେଣୁପାଣି ନିବୃତ ବେଦଧାରୀ ।୬୪।

ଇନ୍ଦ୍ର କୋପରେ ସେ ବ୍ରଜପୁରେ ଘନାକାର ବରଷା ।

ସେ ବ୍ରଜପୁରକୁ ରକ୍ଷାକାର ଏହା କାହା ଭରସା ।୬୫।

ସେ ଗୋବର୍ଦ୍ଧନ ନ ଟେକିଣ ଶୂନ୍ୟ ଇନ୍ଦ୍ରପଣ ଭାଙ୍ଗିଲ ।

ସେ ବୃନ୍ଦାରଣ୍ୟ ବୋଲାଇ ଧନ୍ୟ ବିଜୟୀ ବୋଲାଇଲ ।୬୬।

ବ୍ରଜମଣ୍ଡଳ ଜନମଣ୍ଡଳ ଧନ୍ୟ ତୁମ୍ଭ ଜୀବନ ।

ବୃକ୍ଷାଦି ଜୀବ ବ୍ରଜ ଉଦ୍ଭବ ଧନ୍ୟ ହେ ବୃନ୍ଦାବନ ।୬୭।

ନିଶି ଉଜ୍ଜ୍ୱଳ ସଙ୍ଗ ଗୋପାଳ ରାହାସ କ୍ରୀଡ଼ାସ୍ଥଳ ।

ଶ୍ରୀ ଗୋପୀନାଥ ମୋକ୍ଷଦପଥ ଚାହେଁ ଆହେ ଗୋପାଳ ।୬୮।

ଭକ୍ତ ଅକ୍ରୁର ସେ ମଧୁପୁର ପ୍ରେମନନ୍ଦେ ଆସିଲା ।

ଗୋକୁଳପୁର ସେ ନାରୀବର ପ୍ରେମରେ ମୋହିନେଲା ।୬୯।

ଗଲ ସଙ୍ଗର ଆନନ୍ଦଭର ଜଳେରୂପ ଦେଖିଣ ।

ବିସ୍ମୟମନ ହୋଇ ଉଚ୍ଛନ୍ନ ଭକ୍ତରେ ପରସନ୍ନ ।୭୦।

କୁବୁଜା ନାରୀ କିତପ କରି ଦିବ୍ୟରୂପ ପାଇଲା ।

ପ୍ରେମାନୁରାଗ ହୋଇ ସୌଭାଗ୍ୟ ସଙ୍ଗତେ ବିଳସିଲା ।୭୧।

ସେ କଂସ ନୃପ କରିଣ କୋପ ସେ କୁବଳୟା ହସ୍ତୀ ।

ହୋଇ ହନ୍ତକ ଦ୍ୱାର କଣ୍ଟକ ଚାହିଁ ବୀରତ୍ୱ କାନ୍ତି ।୭୨।

ଧଇଲ ଭିଡ଼ି ଦନ୍ତ ଉପାଡ଼ି ତା ଗର୍ବ ଖର୍ବ କଲ ।

ଚାଣୁର ମାଲ ସଂଗେ ପ୍ରବଳ ଯୁଦ୍ଧେ ତାକୁ ମାଇଲ ।୭୩।

ରାଜା ସେ କଂସ ଦୃଷ୍ଟିରେ ନାଶ ମହାପାପୀ ବିଧ୍ୱଂସି ।

ସେ ଉଗ୍ରେସେନ କଲ ରାଜନ ସୁର ପୁରେ ପ୍ରଶଂସି ।୭୪।

ଯେ ସେ ରୁକ୍ମିଣୀ ସେ ପଦ୍ମାଳୟା ଦାରତ୍ୱ ଚିନ୍ତାତବ ।

ଲୀଳାବତାରି ହେ ବେଣୁଧାରି ଅଷ୍ଟ ସଖିରେ ଭାବ ।୭୫।

ରାହାସେ ରସି ପ୍ରେମରେ ଭାଷି ଅଷ୍ଟ ସେ ପାଟବଂଶୀ ।

ବଳାଇ ଶ୍ରଦ୍ଧା ସୁପ୍ରିୟା ରାଧା ତବ ସଦାଭିଳାଷି ।୭୬।

ସେ ସତ୍ୟଭାମା ସୁମନୋରମା ଜମ୍ଭୁବତୀ ସୁପ୍ରିୟା ।

କାଳିନ୍ଦ୍ରିମତି ସେନାଗ୍ମୀଯିତି ଭଦ୍ରାଦି ସଙ୍ଗ ସାହା ।୭୭।

ମିତ୍ର ବୃନ୍ଦାର ଲକ୍ଷଣାସ୍ଥିର ରାହାସ ସେ ମଣ୍ଡଳୀ ।

ଇନ୍ଦ୍ର ଉଦ୍ୟାନ କରି ଭ୍ରମଣ ପାରିଜାତକ ସ୍ଥଳି ।୭୮।

ସତ୍ୟଭାମାର ଗୃହ ମଧ୍ୟର ରୋପଣ ତାକୁ କରି ।

ସମସ୍ତ ଗୋପୀ ଗୃହରେ ବ୍ୟାପି ହୋଇଲ ରୂପଧାରୀ ।୭୯।

ନାରଦ ମୁନି ବିଷାଦ ମଣି ମାୟାରେ ମୋହହେଲା ।

ପ୍ରତି ଗୃହରେ ଭ୍ରମଣ କରେ ତବ ରୂପ ଚାହିଁଲା ।୮୦।

ସେ ମହାଦୀନ ସୁଦାମା ଯେନ ଦୁଃଖ ଖଣ୍ଡିଲ ତାର ।

ଅସୀମ ଧନ ଗୃହରେ ପୂର୍ଣ୍ଣ ଅଭାବ ତାର ଘର ।୮୧।

ଯୁଧେଷ୍ଠି ଯଜ୍ଞ ମଧ୍ୟରେ ଅଜ୍ଞ ଶିଶୁପାଳ ସଂହାରି ।

ଦ୍ରୌପଦୀ ଆର୍ତ୍ତ ଶୁଣି ଅନନ୍ତ କୁରୁ ସଭାରେ ହରି ।୮୨।

କୋଟୀ ବସନ କରିଲ ଦାନ ମାନ ରକ୍ଷ ମୁରାରି ।

ଭିଷ୍ମ ପିତାଙ୍କ ରଖିଲ ଟେକ ପାଣ୍ଡବ ହିତକାରୀ ।୮୩।

ବିଦୁର ଘରେ ସମ୍ମାନ ଉରେ ରହିଲ ବ୍ରହ୍ମଜ୍ୟୋତି ।

ସେ ପରିକ୍ଷିତ ହେଲା ରକ୍ଷିତ ଉଡ଼ାଇଲ କୀରତି ।୮୪।

ଭାରତ ଯୁଦ୍ଧ କାଳରେ ଖେଦ ଭାରତିଆ ପକ୍ଷୀର ।

ଘଣ୍ଟ ତଳରେ ରକ୍ଷକ ତାରେ ଆହେ ଶ୍ୟାମସୁନ୍ଦର ।୮୫।

ପାଣ୍ଡବ କୁଳ ସଦୟ ହେଲ କି ସ୍ଵାର୍ଥେ ଦାତା ହେଲେ ।

ମିତ୍ରତା ଯୋଖି ପଣକୁ ରଖି ଯୁଦ୍ଧେ ଜୟ ପାଇଲେ ।୮୬।

ଯୁଦ୍ଧେଷ୍ଠି ଦେବ ଯଜ୍ଞ ଆରମ୍ଭ ତାହା କଲ ସେ ପୂର୍ଣ୍ଣ ।

ଯାଦବକୁଳ ହେଲେ ବିହ୍ଵଳ ସେ କାଦମ୍ବରି ପାନ ।୮୭।

ଯାଦବକୁଳ ନାଶି ସମୂଳ ଭବୁ ଅନ୍ତର ହେଲ ।

ଆତ୍ମଚିନ୍ତାରେ କାଳ ବେଭାରେ ଉଦ୍ଧବେ ଜ୍ଞାନ ଦେଲ ।୮୮।

ହେ ଦାମୋଦର ଗୁଣ ଅପାର ନାମ ତେଣୁ ଅନନ୍ତ ।

ତେତିଶକୋଟୀ ଦେବତାଗୋଷ୍ଠି ବର୍ଣ୍ଣିହେଲେ ଅବ୍ୟକ୍ତ ।୮୯।

ମୁଁ ଦୀନ ହୀନ କରେଁ ଜଣାଣ ଦୀନ ବାନ୍ଧବ ଭାଳି ।

ଭକ୍ତ ଅନେକ ହୋଇଛ ରକ୍ଷ ତେଣୁ ଏହା କହିଲି ।୯୦।

ସାଧୁ ଅତିଥି ବିଷୟ ଚିନ୍ତି ଭୂତ କାଳ ପ୍ରଚାର ।

ଦାସାନୁଦାସ ଆଶ୍ରୟୀଘୋଷ ଯଶକର ବିସ୍ତାର ।୯୧।

ଏ ସ୍ତୁତିବାର୍ତ୍ତା ନୃସିଂହମେ ତା କଲାରୁ ମନାନନ୍ଦ ।

ରୋମାଞ୍ଚିଗାତ୍ର ସୁଅନ୍ତର୍ଗତ ଫିଟେ ବିସ୍ମୟ ଦ୍ଵନ୍ଦ ।୯୨।

ମନ ପ୍ରଫୁଲ୍ଲ ଆହେ ଗୋପାଳ ରଣ ଛୋଡ଼ଟି କମ ।

ଦ୍ୱାରିକା ନାଥ ଯୋଡ଼ୁଛି ହସ୍ତ ସାଷ୍ଟାଙ୍ଗେ ମୋ ପ୍ରଣାମ ।୯୩।

ଗଦ୍ଗ୍‍ଦ ମନ ପ୍ରେମରେ ମଗ୍ନ ଭାବି ଆପଣା ମନ ।

ହୁଣ୍ଡି ବିଧାନ କରେଁ ଲେଖନ ଗୌରବ ଯାଶୋଭନ ।୯୪।

ଶ୍ୟାମ ରାଧିକା ସ୍ଥାନ ଦ୍ୱାରିକା ସେ ଯେଉଁ ଶୁଭସ୍ଥାନ ।

ଶ୍ୟାମଳ ସେଠ କରେ ପଇଠ ହେବ ପତ୍ରିକା ଦାନ ।୯୫।

ଅଷ୍ଟ ଉତ୍ତର ଶତ ଶ୍ରୀଧର ପରମ ପୁଜ୍ୟବାନ ।

ସେଠ ଶ୍ୟାମଳଙ୍କର ଏପ୍ରଳ ନୃସିଂହ ମେତା ଯେନ ।୯୬।

ତବ ପାଦରେ ପ୍ରଣାମ କରେଁ ଘେନ ହେ ମହାଶୟ ।

ତବ ଦୟାରେ ଆମ୍ଭ ଏଠାରେ ସବୁ ଆନନ୍ଦମୟ ।୯୭।

ସେଠା ଚରିତ୍ର ଲେଖିବ ପତ୍ର ପଥ ଚାହିଁ ରହିଛିଁ ।

ସାଧୁଙ୍କ ପାସ ଟଙ୍କା ସାତଶ ନେଇ ହୁଣ୍ଡି ଦେଇଛିଁ ।୯୮।

ହୁଣ୍ଡିକି ନେବ ଟଙ୍କାକୁ ଦେବ ବିଳମ୍ବ ନ କରିବ ।

ସାଧୁବୈଷ୍ଣବ କ୍ଳେଶ ନ ଦେବ କରି ସମ୍ମାନ ଭାବ ।୯୯।

ହୁଣ୍ଡିକି ଘେନି ଟଙ୍କାକୁ ଗଣି ଦେବ ବଜାଇ କରି ।

ହୁଣ୍ଡି ଫେରନ୍ତ ନୁହେ ଯେମନ୍ତ କରିବ ତା ବିଚାରି ।୧୦୦।

ହୁଣ୍ଡି ଲେଖିଣ ବନ୍ଦ କରିଣ ଦେଲେ ସାଧୁଙ୍କ ହସ୍ତେ ।

ହୁଣ୍ଡି ପାଇଲେ ଦ୍ୱାରିକା ଗଲେ ଭାବି ଗମନ୍ତି ପଥେ ।୧୦୧।

ବୈଷ୍ଣବ ଦୁଇ ଦ୍ୱାରିକା ଯାଇ ପ୍ରବେଶ ସେ ହୋଇଲେ ।

ହୋଇଣ ଶ୍ରମୀ ନଗ୍ରରେ ଭ୍ରମି ପୁଚ୍ଛନ୍ତି ଜନ ସ୍ଥଳେ ।୧୦୨।

ସେଠ ଶ୍ୟାମଳ ତାହାର ସ୍ଥଳ ଦେଖାଇ ଦିଅ ଭାଇ ।

ତା ନାମେ ହୁଣ୍ଡି ଖୋଜେ ଦରାଣ୍ଡି ଲକ୍ଷ କରାଅ ତହିଁ ।୧୦୩।

ଏନଗ୍ରେ ନାହିଁ ତା ନାମେ କେହି ଭାବିଣ ତାହା ଦେଖ ।

ଭାବନା କର କେଉଁ ପାମର ମିଛେ କରାଇ ଲକ୍ଷ ।୧୦୪।

ଟଙ୍କାକୁ ନେଇ ଯାତନା ଦେଇ ବିଶ୍ୱାସ ସେ ଘାତକ ।

ଫେରିଣ ଯାଅ ତାକୁ ବନ୍ଧାଅ ଯାଅ ସାଧୁ ତା ପାଖ ।୧୦୫।

ମନ ସନ୍ତାପ ସାଧୁଙ୍କ କୋପ ଜ୍ୱଳନ୍ତାନଳ ମନ ।

ବିକର୍ମ କଲା ଏଦଣ୍ଡ ଦେଲା ଫେରନ୍ତ ଯିବା ଧ୍ୟାନ ।୧୦୬।

ହତାଶ ହୋଇ ପଡ଼ିଲେ ଶୋଇ କଳ୍ପବଟର ମୂଳେ ।

ଜାଗ୍ରତ ହୋଇ ବାହୁଡ଼ା ଯାଇ ନୃସିଂହମେ ତା ସ୍ଥଳେ ।୧୦୭।

ସେ ଦୁରାଚାର ଠକ ବେପାର ଫଳଯାଇ ଦେଖିବାଁ ।

ମହତ୍ୱ ତାର ସେନାର ଖାର କରିଣ ଦେଖାଇବାଁ ।୧୦୮।

ଦଣ୍ଡକୁ ଦେଇ ଟଙ୍କାକୁ ନେଇ ପାରିଲେ ହେବଭଲ ।

ଧନଜୀବନ ଦୁହେନିଧନ ହେବାର ହୃଦେ ଭାଳ ।୧୦୯।

ଏ ପରିତାପ ହୃଦୟେ ବ୍ୟାପ ସାଧୁଙ୍କ ହୃଦଗତେ ।

ଚିନ୍ତା ଅପାର ସେ ସାଧୁଙ୍କର ଦେଖିଲେ ଛାୟାପଥେ ।୧୧୦।

ଥକି ବସିଲେ ବିଚାର କଲେ କି କଲୁରେ ନୃସିଂହ ।

ତୋହର ପାଇଁ ଏଦୁଃଖ ସହି ମନହୁଏ ଵିଭଙ୍ଗ ।୧୧୧।

ହେ ରାମରାମ ଏହାକିକର୍ମ କପାଳେ ଆମ୍ଭ ଥିଲା ।

ସେ ସାଧୁଜନ ବିଷାଦ ମନ କିହେଲା କହ ଭଲା ।୧୧୨।

ଶ୍ରଦ୍ଧାନୂରକ୍ତ ପ୍ରେମରେ ଯୁକ୍ତ କହନ୍ତି ସାଧୁଦ୍ୱୟ ।

ହେ ଭାଇ କିସ କରିବୁ ଭାଷ କହିବାର ସନ୍ଦେହ ।୧୧୩।

ଦ୍ୱାରିକାପୁର ହୁଣ୍ଡି ଆମ୍ଭର ଶ୍ୟାମଳ ସେଠ ନାମ ।

ନୃସିଂହମେ ତା ସେ ହୁଣ୍ଡିଦାତା ଭାଙ୍ଗିଲା ଆମ୍ଭ ମର୍ମ ।୧୧୪।

ଯାଉଛୁ ଫେରି ସେ ଦୁରାଚାରୀ ମହତ୍ୱ ହର୍ତ୍ତା ହେବୁଁ ।

ଦେଖି ଆନନ ତା ଭଲ ପଣ ଜ୍ୱଳନ୍ତାନଳେ ଦେବୁଁ ।୧୧୫।

ଶାନ୍ତିକି ଭଜ କି ତୁମ୍ଭ କାର୍ଯ୍ୟ ଯାହା ତୁମ୍ଭ ମାନସ ।

ଟଙ୍କା ଆତ୍ମଜ ଶଙ୍କାକୁ ହେଜ ଶ୍ୟାମଳ କୃଷ୍ଣବାସ ।୧୧୬।

ଶୁକ୍ଳବସନ ଏବେ ସେ ଘେନ ଶ୍ୟାମଳ ସେଠ ମୁହିଁ ।

ହୁଣ୍ଡି ଫିଟାଅ ଟଙ୍କାକୁ ନିଅ ଶାନ୍ତି ଭଜ ଗୋସାଇଁ ।୧୧୭।

ଦ୍ୱାରିକାପୁର ଆମ୍ଭର ଘର ନଗ୍ର ପ୍ରାନ୍ତରେ ସ୍ଥାନ ।

ଲକ୍ଷ ନ କଲ ଭାବି ବସିଲ ହୁଣ୍ଡିଦିଅ ବହନ ।୧୧୮।

ଶୁଣି ବଚନ ହୁଣ୍ଡି କାଢ଼ିଣ ସାଧୁକଲେ ଅର୍ପଣ ।

ଟଙ୍କାକୁ ଚାହଁ ସାତଶ ନିଅ ସାଧୁ ଦେଖି ପ୍ରସନ୍ନ ।୧୧୯।

ଟଙ୍କାକୁ ଧରି ପରୀକ୍ଷା କରି ଗଣି ନିଅ ଆପଣ ।

ଥିଲେ ସେ ମନ୍ଦ ଭାବି ପସନ୍ଦ ନେଇଣ ପାର ପୁଣ ।୧୨୦।

ସେ ସାଧୁଜନ ଆନନ୍ଦ ମନ ଟଙ୍କା ଗଣି ରଖିଲେ ।

ନୃସିଂହମେ ତା ତୁମ୍ଭରି ବାର୍ତ୍ତା କହନ୍ତି ସଦାକାଳେ ।୧୨୧।

ଅଭେଦ ପ୍ରୀତିଥିବା ଚିହ୍ନନ୍ତି ଶ୍ୟାମଳ ସେଠ ଉକ୍ତି ।

ନୃସିଂହମେ ତା ମୋ ଜେଷ୍ଠଭ୍ରାତା ମାନ୍ୟ ପାତ୍ର ହୁଅନ୍ତି ।୧୨୨।

ସ ଦାତାଙ୍କର ମୁଁ ପରିକର ଅନୁଗ୍ରହ ରକ୍ଷକ ।

ସର୍ବ ସମ୍ପତ୍ତି ତାହାଙ୍କ ଭୂତି ଆଜ୍ଞାବହ ମୁଁ ତାଙ୍କ ।୧୨୩।

ସାଧୁଙ୍କ ପାସ ବଚସା ଭାଷ ପ୍ରଭୁତା ପୂର୍ଣ୍ଣକଲେ ।

ମେଲାଣି ମାଗି ସେ ବଇରାଗୀ ଯିବାଇଛା ଚାହିଁଲେ ।୧୨୪।

ସେଠ ହୋ ଶୁଣ ଯାଉଛୁ ପୁଣ ସମ୍ବାଦ କିସ ହେବ ।

ସେଠ ଶ୍ୟାମଳ ଭକ୍ତି ସେ ସ୍ଥଳ ଭାଷା ଲେଖାଇ ନେବ ।୧୨୫।

ଅଷ୍ଟୋତ୍ତରଶ୍ରୀ ମାନ୍ୟାଧିକାରି ପରମ ମୋ ପୁଜ୍ୟକ ।

ମୁଁ ପାଣି ଯୋଡି ସାଷ୍ଟାଙ୍ଗେ ପଡ଼ି ନମୋନମଃ ମୋ ଦେଖ ।୧୨୬।

ଧର୍ମ ଧାରକ ସର୍ବ ଲାୟକ ଶ୍ରୀହରି ଦାସ ପାଖ ।

ସେଠ ଶ୍ୟାମଳ ପାଦ ଯୁଗଳ ଧ୍ୟାଇଛି ଭାବି ରଖ ।୧୨୭।

କରେଁ ଜଣାଣ ମୋ ନିବେଦନ ଭାବ ଆହେ ସୁଦେବ ।

ଏଠା ଆମ୍ଭର ଆନନ୍ଦପୁର ସେଠା ଶୁଭ ଲେଖିବ ।୧୨୮।

ଶ୍ରୀମୁଖପତ୍ର ପାଇ ସୁପାତ୍ର ସାଧୁଙ୍କୁ ଟଙ୍କା ଦେଲି ।

ହୁଣ୍ଡି ରଖିଣ ଆନନ୍ଦମନ ଅନୁଗ୍ରହ ଚାହିଁଲି ।୧୨୯।

ନକରି ମାୟା ଏପରି ଦୟା ସଦା ସର୍ବଦା ଥିବ ।

ହୁଣ୍ଡି ଲେଖିଣ କରି ପ୍ରେରଣ ସମ୍ବାଦ ପଠାଇବ ।୧୩୦।

ଆନନ୍ଦ ଉର ଧରି ବିହର ଭବେ ହୁଅ ସୁଖ୍ୟାତି ।

ଦ୍ଵନ୍ଦ ସମାସ ନ ନେବ ପାସ ଧର୍ମରେ ଦିଅ ମତି ।୧୩୧।

ତୁମ୍ଭର ହୋଇ ରହିଛି ମୁହିଁ ଅନୁଗ୍ରହକୁ ଚାହିଁ ।

ପଥିକ ହେବି ବିଚାର ଦେବି ରହ ସୌଭାଗ୍ୟ ପାଇ ।୧୩୨।

ଏହା ଲେଖିଣ ବନ୍ଦ କରିଣ ପତ୍ରିକା ସାଧୁ ହସ୍ତେ ।

ସେ ସାଧୁଜନ କଲେ ଗମନ ପ୍ରଫୁଲ୍ଲ ହୋଇ ଚିତ୍ତେ ।୧୩୩।

କିଛି ଦିନାନ୍ତେ ଧ୍ୟାଇଣ ଚିତ୍ତେ ପୁନଃ ସେ ଯୁହ୍ନାଗଡ ।

ସାଧୁ ପ୍ରବେଶ ନୃସିଂହ ପାସ ଦେଖି ଆନନ୍ଦ ବଡ଼ ।୧୩୪।

ପ୍ରଣାମ କରି ପତ୍ରିକା ଧରି ପାଠ କଲା ସତ୍ୱର ।

ତପନ ବିଧୁ ତୁମ୍ଭେ ହେ ସାଧୁ ବୋଲିଧରେ ପୟର ।୧୩୫।

ଧନ୍ୟ ମହାତ୍ମା ମୁଁ ମୂଢ଼ ଆତ୍ମା ହୁଣ୍ଡିଦେଲି ଯାହାକୁ ।

ବଚସା ହେଲ ଦର୍ଶନ କଲ କି କହିଲେ ତୁମ୍ଭଙ୍କୁ ।୧୩୬।

ନେତ୍ରରୁ ଝର ବହଇ ନୀର ନୃସିଂହ ସେ ଯେ ମେତା ।

ଭକ୍ତ ବତ୍ସଳ ବାନା କେବଳ ଭକ୍ତଙ୍କ ରକ୍ଷାକର୍ତ୍ତା ।୧୩୭।

ଭକ୍ତ ରକ୍ଷକ ମୁଁ କି ଲାୟକ ମୋପରେ ହେଲା ଦୟା ।

ମିରା ବାଇର ବିଷ ଆହାର ଅମୃତ କଲ ତାହା ।୧୩୮।

ଆହେ ମୁରାରି ଘେନ ଗୁହାରି ପଣ ସୁରକ୍ଷା କାରୀ ।

ମୁଁ କି ଲାୟକ ହେ ପଦ୍ମମୁଖ ଦୀନ ବାନ୍ଧବ ହରି ।୧୩୯।

ଦୁଃଖୀ ସଙ୍ଖାଳି ହେ ବନମାଳି କ୍ଷମା ମାଗଇ ଏତେ ।

ମହପାତକି ହେଲି ଘାତକି ଅପ୍ରାଧି ତବାଗ୍ରତେ ।୧୪୦।

ହେ ବୁଦ୍ଧଜନେ ଭାବସ୍ୱପନେ ନୃସିଂହମେତା ଗୁଣ ।

ହୃଦୟସ୍ଥଳ ବିଚାରଫଳ କଲି ଏହା ଅର୍ପଣ ।୧୪୧।

ଧର୍ମଧାରକ ସଂସାର ଦେଖ ଭକ୍ତ ସୁଵିଜ୍ଞ ଜନ ।

ବିଶୁଦ୍ଧ କୀର୍ତ୍ତି ହୃଦୟେ ଚିନ୍ତି ରହ ଲଗାଇ ଧ୍ୟାନ ।୧୪୨।

ଭକ୍ତ ବତ୍ସଳ ପ୍ରଭୁଙ୍କୁ ଭାଳ ଆତ୍ମ ଜ୍ଞାନରେ ନେଇ ।

ପ୍ରାକ୍ତନ୍ୟଭୁତି ଅଣିମାକତି ରହି ଚାହଁ ଏମହି ।୧୪୩।

ସତ୍ୟ ସମ୍ପାଦ ନାହିଁ ପ୍ରମାଦ ଶାନ୍ତି ଗୀର ସୁ ସୁଧା ।

ମେଧାବୀ ଜନ ବେଦ ପୁରାଣ ସ୍ମୃର୍ତ୍ତିଚିହ୍ନ ବସୁଧା ।୧୪୪।

ମେଧାବୀ ଯେତେ ଏହି ଜଗତେ ପୂଜ୍ୟ ଚିରକାଳକୁ ।

ସତ୍ୟରେ ରହି ଐଶ୍ୱର୍ଯ୍ୟ ଚାହିଁ ଗୁଣିଗଲେ ଭବକୁ ।୧୪୫।

ଶାନ୍ତି ବିଶ୍ୱାସ ପ୍ରେମପ୍ରକାଶ ସଦା ଶୁଭ ଦାୟକ ।

ବିଶ୍ୱ ସମୂଳେ ଚାହିଁବ ହେଲେ ସର୍ବସିଦ୍ଧି ତା ଦେଖ ।୧୪୬।

ବିଶ୍ୱାସସ୍ଥଳେ ରହ କୁଶଳେ କଳ୍ପନାପୂର୍ଣ୍ଣ ହେବ ।

ବିଶ୍ଵାସ ଜନ ରଖିଣ ଘେନ ଐଶ୍ୱର୍ଯ୍ୟ ଶୋଭା ଦେବ ।୧୪୭।

ମୋ ତୀର୍ଥାଟନେ ପ୍ରକାଶି ମନେ ଚିତ୍ରଣକାରି ଦେଲି ।

ଗୁଜୁରାଟ ଦେଶ ଯେ ଅବତଂଶ ବଚସା ହେବ ଭାଳି ।୧୪୮।

ଦୃଢ଼ ବିଶ୍ୱାସ ରଖ ସ୍ଵପାସ ସ୍ୱଧର୍ମ ଭାବ ସ୍ମରି ।

ଜଣାଏ ମୁହିଁ ଅଗ୍ରତେ ଥାଇ କହୁଛି ପ୍ରେମ ଧରି ।୧୪୯।

ହେ ବନ୍ଧୁଗଣେ ଭାବ ସୁମନେ ସଂସାର ଭାବ ସ୍ମରି ।

ଯେ କଳାନାଗ ଅଟଇ ରାଗ ହୃଦୟ ହନ୍ତାକାରୀ ।୧୫୦।

ଅହଂମାଦକ ଛାଡ଼ିଣ ଦେଖ ପ୍ରେମ ବୀଜକୁ ନେଇ ।

ଭାବରେ ବୁଣ ହେ ସଭ୍ୟଜନ ସ୍ନେହ ଆଧାର ପାଇ ।୧୫୧।

ଦୃଢ଼ ବିଶ୍ୱାସ ରଖିଲେ ପାସ ଭବେ ଏ ମହାମନ୍ତ୍ର ।

ଶାନ୍ତି କବଚ ହୃଦୟେ ପାଞ୍ଚ ଜୀବେଦୟା ସ୍ଵ ଯନ୍ତ୍ର ।୧୫୨।

କଠୋର ଗୀରକୁ ଦୂର କର ପ୍ରେମ ରସକୁ ପିଅ ।

ଏତିକି କହି ଯାଉଛି ଭାଇ ବିଦାୟ ମତେ ଦିଅ ।୧୫୩।

ହେ କୃପାସିନ୍ଧୁ ଭକ୍ତଙ୍କ ବିଧୁ ଆହେ ରୁକ୍ମିଣୀ ଇଶ ।

ତୁମ୍ଭର ଦାସ ଦୋଷକୁ ନାଶ କହେ ବେହାରି ଦାସ ।୧୫୪।

Image